Friday, October 11, 2019
Tuesday, April 2, 2019
Some village scene of Badabetara, Kendrapara, Odisha
Sunday, March 3, 2019
ମହିମାମୟ ଜଟେଶ୍ବର
ମହିମାମୟ ଜଟେଶ୍ବର
ହରିହର ତ୍ରିପାଠୀଭାରତବର୍ଷରେ ଶିବପୂଜନର ପରମ୍ପରା ଅତି ପ୍ରାଚୀନ । ଭଗବାନ ଶଙ୍କର ହେଉଛନ୍ତି ବୈଦିକ ଦେବତା । ଆମ ଓଡ଼ିଶାର ଅଧିକାଂଶ ଗ୍ରାମରେ ଶିବଙ୍କର ମନ୍ଦିର ଅବସ୍ଥିତ ଥିବା ବେଳେ ଶିବ ଆରାଧନା କଲେ ଜୀବନରେ ସୁଖଶାନ୍ତି ମିଳିବା ସହିତ ଅନେକ ପୁଣ୍ୟଲାଭ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସକରାଯାଏ । ଆମ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡା ଅର୍ନ୍ତଗତ ଗରଦପୁର ବ୍ଲକ ରେ ଅବସ୍ଥିତ ବଡବେତରା ଗ୍ରାମ । ଚିତ୍ରୋତ୍ପଳା ନଦୀଠାରୁ ମାତ୍ର ଦୁଇକିଲୋମିଟର ଦୂରରେ । ଗାଁଟିର ନାମ ବଡ ବେତରା ହେବା ପଛରେ ଏକ ଐତିହାସିକ କାହାଣୀ ରହିଛି । ଏହି ଗାଁର ଶେଷମୁଣ୍ଡରେ ପ୍ରବାହିତ ହେଉଥିଲା ଏକ ବିଶାଳ ନଦୀ ଯାହାକି ମହାନଦୀ (ଅଧୁନା ଚିତ୍ରୋତ୍ପଳା) ସହ ସଂଯୁକ୍ତ ଥିଲା । ଏହି ନଦୀଦେଇ ବିଶାଳ ବୋଇତମାନ ମହାନଦୀ ଓ ବଙ୍ଗୋପସାଗର ବାଟେ ଦୂରଦେଶକୁ ବାଣିଜ୍ୟ କାରବାର କରିବାକୁ ଯାଉଥିଲେ । ବଡବେତରାଗ୍ରାମସ୍ଥିତ ମହାଦେବଙ୍କ ପୁଷ୍କରିଣୀରେ ଅତୀତରେ ଏକ ବିଶାଳ ବୋଇତର ଭଗ୍ନ ଅଂଶ ପୋତିହୋଇ ରହିଥିବା ଲୋକମାନେ କୁହନ୍ତି । ବୋଇତଗୁଡିକ ଯେଉଁଜାଗାରେ ଲାଗୁଥିଲା ସେଠାରେ ବୋଇତରୁ ଜିନିଷପତ୍ର ବାହାରକରୁଥିବା ଲୋକ ଓ ବେପାର ବଣିଜ କରୁଥିବା ଲୋକମାନେ ରହିବାକୁ ଲାଗିଲେ । ଏହି ଲୋକମାନଙ୍କୁ ବୋଇତରା କୁହାଯାଇଥାଏ । ବୋଇତରାମାନେ ବସବାସ କରୁଥିବା ସ୍ଥାନ କାଳକ୍ରମେ ବୋଇତରା ହେଲା ଓ ଆଜିର ନାମ ବଡବେତରା ଉକ୍ତ ବୋଇତରା ଶବ୍ଦର ଅପଭ୍ରଂଶ ବୋଲି ବିଶିଷ୍ଟ ଗବେଷକ ସ୍ବର୍ଗୟ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ତାଙ୍କର ରଚନାରେ ଉଲ୍ଲେଖ କରିଛନ୍ତି । ଉଲ୍ଲେଖଯୋଗ୍ୟ ବଡବେତରା ନିକଟରେ ଅଛି ଆଉଏକ ଗାଁ ଯାହାର ନାମ ମଧ୍ୟ ସାନବେତରା ।
ବଡବେତରା ଗ୍ରାମରେ ଅବସ୍ଥାନ କରୁଛନ୍ତି ପ୍ରଭୁ ଜଟେଶ୍ୱର । ପ୍ରଭୁ ଜଟେଶ୍ୱରଙ୍କ ଆର୍ବିଭାବ ସମ୍ବନ୍ଧରେ ମଧ୍ୟ ଏକ ଚମତ୍କାର କିମ୍ବଦନ୍ତୀ ରହିଛି । ଜଣେ ସାଧବ ଅତୀତରେ ଏଇବାଟ ଦେଇ ନିଜର ପରିବାର ସହିତ ବୋଇତରେ ଯାଉଥିଲେ । ତାଙ୍କର ବୋଇତ ବଡବେତରା ଗ୍ରାମଟି ଯେଉଁଠି ଅଛି ସେଠାରେ ଲାଗିଥିଲା । ସାଧବ ଜଣକ ପ୍ରତିଦିନ ମହାପ୍ରଭୁ ଭୋଳାନାଥଙ୍କର ଦର୍ଶନ ନକଲେ ଜଳଗ୍ରହଣ କରନ୍ତି ନାହିଁ । ସେଦିନକୁ ମିଶାଇ ଦୁଇଦିନ ହେବ ଶିବଙ୍କ ଦର୍ଶନ ନକରିବା ହେତୁ ଖାଦ୍ୟ ଗ୍ରହଣ କରିନଥାନ୍ତି । ସାଧବାଣୀ ସାଧବଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ଥିଲେ । ସେ ଏକ ଉପାୟ ପାଞ୍ôଚଲେ । ସେ ନିଜର ପରି·ରକମାନଙ୍କ ଦ୍ୱାରା ବଡବେତରା ଗ୍ରାମର ଶେଷମୁଣ୍ଡରେ ଏକ ବାଲିକୁଦ ଉପରେ ମାଟିର ପଲମଟିଏ ଓଲଟାଇ ରଖିଦେଲେ ଓ ତା ଉପରେ ଚନ୍ଦନ ଓ ବିଲ୍ୱପତ୍ର ଆଦି ଦେଇ ଶିବଲିଙ୍ଗ ପରି ସଜାଇଦେଲେ ।
ସାଧବାଣୀ ବିମର୍ଷ ସାଧବଙ୍କୁ କହିଲେ ଏଇ ପାଖ ଗ୍ରାମରେ ପରା ଶିବ ଅଛନ୍ତି ଆମେ ଏତେ ଖୋଜୁଛେ । ସାଧବ ଖୁସି ହୋଇଗଲେ ଓ ମହାଦେବଙ୍କୁ ଦର୍ଶନ କରିବାକୁ ଗଲେ । ସାଧବ ଯୁଆଡେ ଗଲେ ସାଥିରେ ଏକ ଲୁହାର ବାଡି ନେଇ ଯାଆନ୍ତି । ଗ୍ରାମର ଶେଷମୁଣ୍ଡରେ ଶିବଙ୍କ ଦର୍ଶନ କରି ସାଧବ କୃତ୍ୟକୃତ୍ୟ ହେଲେ । ପୂଜାର୍ଚ୍ଚନା କଲେ ଓ ପ୍ରଣାମସାରି ବୋଇତକୁ ଫେରିଲେ । ତେବେ ମହାପ୍ରଭୁଙ୍କ ଦର୍ଶନ ପରେ ସାଧବ ଫେରି ଆସୁଛନ୍ତି ମନରେ ତାଙ୍କର କାହିଁକି ସନ୍ଦେହ ହେଲା, ଯାହାଙ୍କୁ ଦର୍ଶନ କଲେ ସେ ପ୍ରକୃତ ଶିବଙ୍କ ଲିଙ୍ଗ ତ ?? ନିଜର ସନ୍ଦେହ ସାଧବାଣୀଙ୍କୁ କହିଲେ ଓ ପରୀକ୍ଷା କରିବା ଲାଗି ଅଧାବାଟରୁ ପୁଣି ମହାଦେବଙ୍କ ପାଖକୁ ଫେରିଆସିଲେ । ସାଧବାଣୀ ଧରାପଡିଯିବାର ଭୟରେ ମନେ ମନେ ମହାପ୍ରଭୁ ଭେଳାନାଥଙ୍କୁ ଆକୁଳ ହୋଇ ଡାକିବାକୁ ଲାଗିଲେ । ସାଧବ ପରୀକ୍ଷା କରିବାକୁ ଯାଇ ଶିବ ଲିଙ୍ଗ ଉପରେ ନିଜର ବାଡିରେ କେଞ୍ôଚଦେଲେ ଯେ ତହିଁରୁ ଧାର ଧାର ରକ୍ତ ବୋହିବାକୁ ଲାଗିଲା । ସାଧବ ଭୟ, ଭକ୍ତିରେ ବିଗଳିତ ହୋଇ ମହାପ୍ରଭୁଙ୍କର ଶରଣାପନ୍ନ ହେଲେ । ଆଜିବି ଜଟେଶ୍ୱରଙ୍କ ଶିବଲିଙ୍ଗ ଉପରେ ଥିବା ଖଣ୍ଡିଆ ଦାଗ ଏହି କିମ୍ବଦନ୍ତୀକୁ ପ୍ରମାଣ କରେ ।
ମହାପ୍ରଭୁ ଜଟେଶ୍ବରଙ୍କ ଆବିର୍ଭାବ କେବେ ହେଲା ଏକଥା ଗ୍ରାମର ପୁରୁଣା ଲୋକମାନେ ମଧ୍ୟ କହିପାରନ୍ତି ନାହିଁ । ତେବେ ଜଟେଶ୍ୱର ଅଷ୍ଟଶମ୍ଭୁଙ୍କ ମଧ୍ୟରେ ଶିବଙ୍କର ଗୋଟିଏ ଅବତାର ବୋଲି ବିବେଚନା କରାଯାଏ । ଏବର ମନ୍ଦିର ଅବଶ୍ୟ ଅଳ୍ପ ବର୍ଷର । ଜଟେଶ୍ୱରଙ୍କୁ କେବଳ ବଡବେତରା ନୁହେଁ ଆଖପାଖ ଗ୍ରାମ ଯଥା ନାଗଣପୁର, ସାନବେତରା, କୁଦାନଗରୀ, ମନମଧୁପୁର, ମହମ୍ମଦପୁର, ମିର୍ଜାପୁର ପ୍ରଭୃତି ଗ୍ରାମବାସୀ ମାନେ ନିତ୍ୟନୈମିତିକ ଦର୍ଶନ, ପୂଜନ ଆଦି କରିଥାନ୍ତି । ବଡବତରାଗ୍ରାମର ପଣ୍ଡା ପୂଜକମାନେ ଠାକୁରଙ୍କ ପୂଜା କରିଥାନ୍ତି । ପ୍ରାୟ ଅଧିକାଂଶ ଦିନ ମହାଦେବଙ୍କ ନିକଟରେ ଭକ୍ତମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଅଭିଷେକ, ମାତା ପାର୍ବତୀଙ୍କ ନିକଟରେ ଚଣ୍ଡୀପାଠ ଆଦି ହୋଇଥାଏ । ପୀଠରେ ମହାପ୍ରଭୁ ଜଟେଶ୍ବରଙ୍କ ମନ୍ଦିର ବ୍ୟତୀତ ରହିଛି ମାତା ପାର୍ବତୀଙ୍କ ମନ୍ଦିର । ସଙ୍କଟମୋଚନ ମହାବୀର ଓ ଖରାଖିଆ ମହାଦେବ ମଧ୍ୟ ରହିଛନ୍ତି । ଜଟେଶ୍ୱରଙ୍କ ମନ୍ଦିର ବଡବେତରା ଗ୍ରାମର ଗୋଟିଏ ମୁଣ୍ଡରେ ହୋଇଥିବା ବେଳେ ଗ୍ରାମ ମଝିରେ ରହିଛନ୍ତି ପ୍ରଭୁ ମଦନମୋହନ ।
ପୀଠରେ ମହାଶିବରାତ୍ରୀ, ବଡଓଷା, ଦୋଳ ପୂର୍ଣ୍ଣିମା ଆଦି ଜାକଜମକରେ ପାଳନ କରାଯାଏ । ଦୋଳଯାତ୍ରାବେଳେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ବିମାନରେ ବସି ପ୍ରଭୁ ମଦନମୋହନଙ୍କ ସହିତ ବିଭିନ୍ନ ମେଲଣକୁ ଯାଇଥାନ୍ତି । ଏହା ଶୈବ ଓ ବୈଷ୍ଣବ ଧର୍ମର ଏକ ଚମତ୍କାର ସମନ୍ୱୟକୁ ପ୍ରତିପାଦିତ କରିଥାଏ । ଶିବରାତ୍ରୀ ଜାଗର ଦିନ ଜଟେଶ୍ବରଙ୍କ ପୀଠ ଅତି ପ୍ରଭାତରୁ ଲୋକାରଣ୍ୟ ହୋଇଉଠେ । ଶହ ଶହ ଭକ୍ତ ଏହି ଦିନ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି, ସ୍ୱତନ୍ତ୍ର ପୂଜା କରନ୍ତି ଓ ପ୍ରଭୁଙ୍କ ମସ୍ତକରେ ଟୋପର ଚଢାନ୍ତି । ରାତ୍ରୀରେ ପ୍ରଭୁଙ୍କର ବିଶେଷ ଅଭିଷେକ କରାଯାଏ ଓ ପ୍ରାୟ ରାତି ୧୨ଟା ବେଳକୁ ମହାଦୀପ ଉଠେ । ଏହି ଦିନ ଭଜନ ସମାରୋହ, ସଂକୀର୍ତ୍ତନ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ଅନୁଷ୍ଠିତ ହୋଇଥାଏ ।
ଜାଗର ବ୍ୟତୀତ ପ୍ରତି ସଂକ୍ରାନ୍ତି ଦିନ ଜଟେଶ୍ୱରଙ୍କ ନିକଟରେ ଗ୍ରାମର ଯୁବକମାନେ ପାଳି କରିଥାନ୍ତି । ରାତିରେ ସଂକୀର୍ତ୍ତନ ଓ ପ୍ରସାଦ ସେବନ ହୁଏ । ପ୍ରତିବର୍ଷ ଜଟେଶ୍ୱରଙ୍କ ପୀଠରେ ଅକ୍ଷୟ ତୃତୀୟାଠାରୁ ପାଞ୍ଚଦିନ ବ୍ୟାପୀ ଶ୍ରୀରାମଚରିତମାନସ ପାରାୟଣ, ପ୍ରବଚନ ଓ ବୈଶାଖ ପୂର୍ଣ୍ଣମୀ ବେଳକୁ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୁଏ । ଶ୍ରୀରାମଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବିଶିଷ୍ଟ ସାଧୁ ସନ୍ୟାସୀ, ପ୍ରବାଚକ ଓ ବକ୍ତାମାନେ ଯୋଗଦାନ କରିଥାନ୍ତି । ବଡବେତରା ତଥା ଆଖାପାଖ ଗ୍ରାମବାସୀଙ୍କ ସହାୟତାରେ ଏହି କାର୍ଯ୍ୟ ସଂପନ୍ନ ହୋଇଥାଏ ।
Subscribe to:
Posts (Atom)